ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ଓ ରୁଷ ସହିତ ଚାଲିଥିବା ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ ।ସେମାନଙ୍କ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଆଣବିକ ପ୍ରତିଷ୍ଠାନ ଉପରେ ବିପଦର ପ୍ରଳୟଙ୍କରୀ ପରିଣାମ ଆସିପାରେ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ବ ଦିଆଯାଉଛି ।
ଏହି ଆଲୋଚନା ବେଳେ ମୋଦୀ ଗତ ୭ ମାସ ହେଲା ଚାଲିଥିବା ଯୁଦ୍ଧ ଶୀଘ୍ର ବନ୍ଦ କରିବା ଏବଂ ଆଲୋଚନା ଓ କୂଟନୀତିର ମାର୍ଗ ଅନୁସରଣ କରାଯାଉ ବୋଲି କହିଥିଲେ ।ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ସ୍ଥାପନ କ୍ଷେତ୍ରରେ ଭାରତ ନିଜର ଯୋଗଦାନ ଦେବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ ।