ପିଏଫ୍‌ଆଇ ଓ ସଂଶ୍ଳିଷ୍ଟ ସଂଗଠନଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରେ ୧୨୦ କୋଟି ଟଙ୍କା ରହିଛି

ପପୁଲାର ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ନେତା ମହମ୍ମଦ ସଫିକି ପୟେଥ୍‌ଙ୍କୁ କେରଳର କୋଝିକୋଡ୍‌ରୁ ଏନଆଇଏ ଗିରଫ କରିବାର କିଛି ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲକ୍ଷ୍ନୌସ୍ଥିତ ପିଏମ୍‌ଏଲ୍‌ଏ କୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଛି। ପିଏଫ୍‌ଆଇ ଓ ଏହା ସହ ସଂଶ୍ଳିଷ୍ଟ ସଂଗଠନଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରେ ୧୨୦ କୋଟି ଟଙ୍କା ରହିଛି। ଦେଶ ଭିତରୁ ଏବଂ ଦେଶ ବାହାରୁ ଏହି ପାଣ୍ଠି ଆସିଛି। ଉକ୍ତ ରାଶି ମୁଖ୍ୟତଃ ନଗଦ ଆକାରରେ ବ୍ୟାଙ୍କରେ ଜମା କରାଯାଇଛି।ପିଏଫ୍‌ଆଇ ନେତା ଓ ଅନ୍ୟମାନଙ୍କୁ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି। ଇଡି ଦର୍ଶାଇଛି ଯେ ଚଳିତବର୍ଷ ଜୁଲାଇ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ଗସ୍ତ ଅବସରରେ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଅଭିଯୁକ୍ତମାନେ ଏକ ଆତଙ୍କବାଦୀ ‌ଗ୍ୟାଙ୍ଗ୍ ଗଠନର ଯୋଜନା ରଖିଥିଲେ। ପୟେଥ୍‌ଙ୍କୁ କୋଝିକୋଡ୍‌ର ଏକ ଫ୍ଲାଟ୍‌ରୁ ଗତ ୨୨ ତାରିଖ ଭୋର ୫ଟା ୩୫ ମିନିଟରେ ଗିରଫ କରାଯାଇଥିଲା। ଦେଶରେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ଇକରେ ଆକ୍ରମଣ କରିବା ଲାଗି ମାରାତ୍ମକ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା, ସାମ୍ପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବା, ଆତଙ୍କୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା, ସାଂପ୍ରଦାୟିକ ହିଂସାକୁ ଉସକାଇବା, ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ କ୍ୟାଡରମାନଙ୍କୁ ତାଲିମ ଦେବା, ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିବା ଆଦି କାର୍ଯ୍ୟ ଚଳାଇଥିବା ଅଦାଲତରେ ତଦନ୍ତକାରୀ ଅଧିକାରୀ କହିଛନ୍ତି।