ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏନେଇ ଦଳ ନିଷ୍ପତ୍ତି ନେଇଛି ।  ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଜାତୀୟ ମହାସଚିବ କେ.ସି ଭେନୁଗୋପାଳଙ୍କ ସହ ଅନ୍ୟ ନେତାଙ୍କ ବୈଠକରେ ରେବନ୍ତଙ୍କ ନାଁରେ ବାଜିଛି ମୋହର । ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ରେବନ୍ତଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ । ରାଜ୍ୟରେ କଂଗ୍ରେସର ବିପୁଳ ବିଜୟ  ପରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠୁ ଆଗରେ ଥିଲେ। ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲଙ୍ଗାନା ପିସିସି ଭାବେ ଦାୟିତ୍ବ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ ।