ରାଷ୍ଟ୍ରପତି ଭବନରେ କୋଣାର୍କ ଚକର ପ୍ରତିକୃତି

ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ ରାଷ୍ଟ୍ରପତି ଭବନରେ । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ବେଶ ମନୋହର ଲାଗୁଛି ।  ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ କରାଯାଇଥିବା କୁହାଯାଇଛି। ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ଉପାଦାନକୁ ସାମିଲ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏହା ହେଉଛି ଗୋଟିଏ ଅଂଶବିଶେଷ। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନା ଯାହାକୁ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସୂର୍ଯ୍ୟ ଦେବତାଙ୍କୁ ନେଇ ଯାଉଥିବା ଏକ ବିରାଟ ରଥ ଆକାରରେ ଏହା ନିର୍ମିତ ହୋଇଥିଲା। କୋଣାର୍କ ଚକ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ମୋଦି ଜି 20 ସମ୍ମିଳନୀ ଅବସରରେ କହିଥିଲେ ।