ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏବେ ଫରିଦାବାଦ ସ୍ଥିତ ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ଉପରେ ସେମାନଙ୍କ ଫୋକସ୍ ରଖିଛନ୍ତି। ମାମଲାରେ ଡାକ୍ତର ଏବଂ ପ୍ରଫେସରଙ୍କ ସମେତ ଅନେକ ଅଭିଯୁକ୍ତ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର କିମ୍ବା ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ଏବେ ଏହି ଦିଗକୁ ତଦନ୍ତକାରୀ ଦଳ ଭଲଭାବେ ତଦନ୍ତ କରୁଛନ୍ତି। ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ମହମ୍ମଦ ଉମର ନବି ବିଶ୍ବବିଦ୍ୟାଳୟର ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା। ଗିରଫ ହୋଇଥିବା ଅନ୍ୟ ୨ ଜଣ ଡାକ୍ତର ତଥା ଡାକ୍ତର ମୁଜାମିଲ ସକିଲ ଏବଂ ଶାହିନ ସାହିଦ ମଧ୍ୟ ଏହି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ଉଭୟଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରଚୁର ପରିମାଣର ଗୋଳାବାରୁଦ ସହ ଗିରଫ କରାଯାଇଥିଲା।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ଯୋଜନା କରିଥିଲେ। i20 କାରରେ ଉଚ୍ଚମାନର ବିସ୍ଫୋରକ ଏବଂ ଆମୋନିୟମ୍ ନାଇଟ୍ରେଟ୍ ଥିଲା।
ତେବେ ଡାକ୍ତର ଉମର ମହମ୍ମଦ ଓରଫ୍ ଉମର ଉନ୍-ନବୀ ନାମକ ଜଣେ ଆତଙ୍କବାଦୀ ସାଥୀମାନଙ୍କ ଗିରଫଦାରୀ ଓ ଫରିଦାବାଦରୁ ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହେବା ପରେ ଭୟଭୀତ ହୋଇ ଯୋଜନା ପୂର୍ବରୁ ହିଁ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ DNA ପରୀକ୍ଷାରେ ଉମରଙ୍କ ମୃତ୍ୟୁ ପ୍ରମାଣିତ ହୋଇଛି। ମୂଳ ଯୋଜନା ଲାଲକିଲ୍ଲା ଭିତରର ପାର୍କିଂରେ ବିସ୍ଫୋରଣ କରିବା ଥିଲା, କିନ୍ତୁ ଉମର ସୋମବାର ଲାଲକିଲ୍ଲା ବନ୍ଦ ଥିବାରୁ ନିକଟସ୍ଥ ମେଟ୍ରୋ ଷ୍ଟେସନ୍ ସାମ୍ନାର ଏକ ବ୍ୟସ୍ତବହୁଳ ଟ୍ରାଫିକ୍ ସିଗନାଲ୍ ନିକଟରେ ବିସ୍ଫୋରଣ ଘଟାଇଥିଲେ। ସନ୍ଦିଗ୍ଧ ଆତଙ୍କବାଦୀମାନେ ଡାକ୍ତର ଭଳି ‘ହ୍ୱାଇଟ୍ କଲାର୍ ପ୍ରଫେସନାଲ୍’ ଭାବରେ ନିଜର ପରିଚୟ ଲୁଚାଉଥିଲେ। ଆତଙ୍କବାଦ ନିରୋଧୀ ସଂସ୍ଥା NIA ଏହି ଘଟଣାର ତଦନ୍ତ କରୁଛି।