ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ ହୋଇଛି । ରାଜ୍ୟ ସଭାରେ ସୋମବାର ଜମ୍ମୁ-କଶ୍ମୀର ସଂରକ୍ଷଣ  ବିଲ୍‌, ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ  ବିଲ୍‌ ୨୦୨୩ ପାରିତ ହୋଇଛି। ଆଲୋଚନା ପରେ ଭଏସ ଭୋଟ ଦ୍ୱାରା ଏହି ବିଲ୍‌କୁ ଅନୁମୋଦନ କରାଯାଇଛି। ଶେଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ପକ୍ଷ ରଖିବା ସହ ବିଲ୍‌କୁ ବିରୋଧ କରୁଥିବା ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଥିଲେ। ଜମ୍ମୁ-କଶ୍ମୀର ସହିତ ଜଡିତ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅଛି । ଏଥିରେ ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି), ଅନ୍ୟାନ୍ୟ ସାମାଜିକ ତଥା ଶିକ୍ଷାଗତ ଆଧାରରେ ପଛୁଆ ବର୍ଗର ଲୋକଙ୍କ ପାଇଁ ଚାକିରିରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ଏବଂ ବିଧାନସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇସାରିଛି।