ଅକ୍ଟୋବର ୧ରେ ୫ଜିକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

୫ଜି ଇଣ୍ଟରନେଟ୍‌ ସେବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧ରେ ଇଣ୍ଡିଆ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ଏହାକୁ ଉଦ୍‌ଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର (ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ) ରେ ହାଇସ୍ପିଡ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯିବ ।

ଗତ ସପ୍ତାହରେ ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ଚଳାଚଳ ଉପରେ ୫ଜି ସେବାର ପ୍ରତିକୂଳ ପ୍ରଭାବକୁ ଖଣ୍ଡନ କରିଥିଲେ । ୫ଜି ବିକିରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଧାର୍ଯ୍ୟ ସ୍ତରଠାରୁ ଯଥେଷ୍ଟ ମାତ୍ରାରେ କମ୍‌ ବୋଲି ସେ ପ୍ରକାଶ କରିଥିଲେ । ୫ଜି କ୍ଷେତ୍ରରେ ୨.୫ରୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିପାରେ । ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରେ ୫ଜି ସେବା ପହଞ୍ଚିବ ବୋଲି ସେ କହିଛନ୍ତି ।