ଜି-୨୦ ଶିଖର ସମ୍ମିଳନୀରେ ମୋଦିଙ୍କୁ ବିଶ୍ବନେତାଙ୍କ ଗୁରୁତ୍ବ
ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଏହି ସମ୍ମିଳନୀ ପ୍ରଥମ ଦିନରେ ବହୁ ରୋଚକ ଫଟୋ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ।
ସେହିପରି ଆମେରିକା ରାଷ୍ଟ୍ରପତିଙ୍କ ସହ ମଧ୍ୟ ମୋଦିଙ୍କ ରୋଚକ ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋ ବାଇଡେନ ଗୁରୁତ୍ବ ଦେବା ସହ ହସଖୁସିରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।
ଗତକାଲି ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ଜୋରଦାର ସ୍ୱାଗତ କରିଥିଲେ। ମୋଦିଙ୍କୁ ଦେଖିବା ଲାଗି ଶହ ଶହ ଭାରତୀୟ ଏକାଠି ହୋଇ ମୋଦି ମୋଦି ନାରା ଲଗାଇଥିଲେ ।
ଏହି ସମ୍ମିଳନୀରେ ମୋଦୀ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତା, ଅନ୍ତର୍ଜାତୀୟ ବିକାଶକୁ ପୁର୍ନଜୀବିତ କରିବା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।