ଆଜି ଇଞ୍ଜିନିୟର ଦିବସ
ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମହୀଶୂରର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜନମଙ୍ଗଳରେ ଅତୁଳନୀୟ ଅବଦାନ ପାଇଁ ରାଜା ଜର୍ଜ ପଞ୍ଚମଙ୍କ ଦ୍ବାରା। ସେ ବ୍ରିଟିଶ ଇଣ୍ଡିଆ ସାମ୍ରାଜ୍ୟର ନାଇଟ୍ କମାଣ୍ଡର ଭାବେ ନାଇଟ୍ ଉପାଧି ଲାଭ କରିଥିଲେ । ତାଙ୍କ ଅବଦାନକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତରେ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଏ ।
ପୁନେର କଲେଜ ଅଫ୍ ଇଞ୍ଜିନିୟରିଂରେ ସିଭିଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ ପରେ ମୁମ୍ବାଇ ପିଡବ୍ଲ୍ୟୁଡିରେ ତାଙ୍କୁ ଚାକିରି ମିଳିଲା । ଭାରତୀୟ ଜଳସେଚନ କମିଶନ୍ରେ ସେ କାର୍ଯ୍ୟଭାର ଗ୍ରହଣ କଲେ । ଅନେକ ନାମୀ ସଂସ୍ଥା ସହ ମିଶି ଦେଶର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କଲେ । ହାଇଦ୍ରାବାଦର ବନ୍ୟା ନିରାପତ୍ତା ପ୍ରଣାଳୀର ସେ ଥିଲେ ମୁଖ୍ୟ ଡିଜାଇନର । ମହୀଶୂର କୃଷ୍ଣରାଜସାଗର ଡ୍ୟାମ୍ ନିର୍ମାଣର ମୁଖ୍ୟ ଇଞ୍ଜିନିୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୧୮୬୦ ସେପ୍ଟେମ୍ବର ୧୫ ତାରିଖରେ ମୁଲୁକାନାଡୁ(ତେଲୁଗୁ)ର ବ୍ରାହ୍ମଣ ପରିବାରରେ ବିଶ୍ୱେଶ୍ୱରାୟ ଜନ୍ମଗ୍ରହଣ କରିଥିଲେ