୩ ରାଷ୍ଟ୍ର ଗସ୍ତ ଶେଷକରି ଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତ ଶେଷରେ ଆଜି ସକାଳେ ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ଅବତରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି ଭାରତ ତା’ର ଶତ୍ରୁମାନଙ୍କର ଭଲମନ୍ଦ ମଧ୍ୟ ବୁଝେ  । ବିଶ୍ବ ଏବେ ଭାରତ କଣ କରୁଛି ଏବଂ କଣ ଚିନ୍ତା କରୁଛି ତାହା ଉପରେ ନଜର ରଖୁଛି । ଆମକୁ ଏପରି କାମ କରିବାକୁ ହେବ ଯେପରି ବିଶ୍ବ ଭାରତକୁ ସମ୍ମାନ ଦେବା ସହ ସହଯୋଗ ବି କରିବ ।

ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ବିମାନ ବନ୍ଦରରେ ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ସାଂସଦ ରମେଶ ବିଧୁରି, ହଂସରାଜ ହଂସ, ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ରାମବୀର ସିଂହ ବିଧୁରି ଏବଂ ଦଳର ବହୁସଂଖ୍ୟକ ସଦସ୍ୟ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ। ବିଶେଷ କରି ସିଡନୀରେ ୨୦ ହଜାର ପ୍ରବାସୀ ଭାରତୀୟଙ୍କୁ ଅଲମ୍ପିକ ପାର୍କରେ ସମ୍ବୋଧିତ କରିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ବିଶ୍ୱାସ ଓ ପ୍ରତି ସମ୍ମାନ ଉପରେ ଅଧାରିତ । ଏହାସହ ଜନସମାଗମକୁ ଦେଖି ପ୍ରଧାନମନ୍ତ୍ରୀ ଏହାକୁ ଏକ ଛୋଟ ଭାରତ ବୋଲି କହିଥିଲେ । ମୋଦିଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ବସ୍ ବୋଲି ସମ୍ବୋଧନ କରିଥିଲେ