“ଜି-୨୦ କାଳରେ ଭାରତ ବିଶ୍ବମିତ୍ର ଭାବେ ଉଭା ହୋଇଛି”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ଉଦବୋଧନ ଦେଇ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ, ସଫଳତା ଓ ସାମର୍ଥ୍ୟ ପ୍ରତିଭାତ ହେଉଛି ଏବଂ କିପରି ଭାରତର ସଫଳତାକୁ ବିଶ୍ବ ଆଲୋଚନା କରୁଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ। “ଆମର ୭୫ ବର୍ଷର ସଂସଦୀୟ ଗଣତନ୍ତ୍ରରେ ସମୂହ ଉଦ୍ୟମର ଏହା ଫଳ” ବୋଲି ସେ କହିଥିଲେ।
ଚନ୍ଦ୍ରଯାନ-୩ର ସଫଳତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଭାରତୀୟ ସାମର୍ଥ୍ୟର ଏହା ଆଉ ଏକ ଗତି, ଯାହା ଆଧୁନିକତା, ବିଜ୍ଞାନ, ବୈଷୟିକ ଜ୍ଞାନ, ଆମ ବୈଜ୍ଞାନିକମାନଙ୍କ କ୍ଷମତା ଓ ୧୪୦ କୋଟି ଭାରତୀୟଙ୍କ ଶକ୍ତି ଯୋଡ଼ି ହୋଇ ରହିଛି। ବୈଜ୍ଞାନିକମାନଙ୍କ ସଫଳତା ନିମନ୍ତେ ସେ ଗୃହ ଓ ଦେଶ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।