ନୀତିଶଙ୍କ ସ୍ବପ୍ନ ବାସ୍ବବ ପୂର୍ବରୁ ଝଟ୍‌କା

ନୀତିଶ କୁମାରଙ୍କ ବହୁଦିନର ସ୍ବପ୍ନ ରହିଛି ସେ କିପରି ଦେଶର ପ୍ରଧାନମନ୍ତ୍ରୀ ହେବେ । ତେବେ ଏହି ସ୍ବପ୍ନ ବର୍ଷ ବର୍ଷ ଧରି ପୂରଣ ହେବାର ନା ଧରୁନି । ନିଜକୁ ଜାତୀୟସ୍ତରର ନେତା ଭାବେ ଲୋକଙ୍କୁ ପରିଚିତ କରିବା ପାଇଁ ଅନେକ ଦିନରୁ ନୀତିଶ ଯେଉଁ ରଣନୀତି କରୁଛନ୍ତି ସବୁ ଫସର ଫାଟିଯାଉଛି । ତାଙ୍କ ରାସ୍ତାରେ କେତେବେଳେ ମମତା ବାନାର୍ଜୀ ତ ଆଉ କେତେବେଳେ ରାହୁଲ ଗାନ୍ଧୀ ବାଟ ଓଗାଳି ଠିଆହେଉଛନ୍ତି । ସେପଟେ ଅରବିନ୍ଦ କେଜରିଓ୍ବାଲଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ରହିଛି ।

ସବୁଠୁ ବଡ଼ କଥା ହେଲା ନୀତିଶଙ୍କ ପରି ବିରୋଧୀ ଦଳରେ ଏମିତି ଅନେକ ନେତା ଅଛନ୍ତି ଯେଉଁମାନେ ସମୟ ସୁଯୋଗ ଉଣ୍ଡି ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି । ତେବେ ଗତ ଆଠ ବର୍ଷ ହେଲା ନରେନ୍ଦ୍ର ମୋଦି ଏସମସ୍ତଙ୍କ ସ୍ପପ୍ନ ଦେଖିବା ବନ୍ଦ କରିଦେଇଛନ୍ତି । ନୀତିଶ କୁମାରଙ୍କ ବଡ଼ ଇଚ୍ଛା ମୋଦିଙ୍କୁ ହଟାଇ ସେ କିପରି ଗାଦିରେ ବସିବେ । କିନ୍ଦୁ ମଣିପୁରରେ ଜେଡିୟୁ ର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହେବାପରେ ତାଙ୍କୁ ବଡ଼ ଝଟକା ଲାଗିଛି । ଜେଡିୟୁକୁ ଶକ୍ତ ଝଟ୍‌କା ଲାଗିବା ଯାହା ନୀତିଶଙ୍କୁ ଲାଗିବା ସେୟା।

କାରଣ ଯେଉଁ ଦଳର ଆସନ ଅଧିକ ସେହି ଦଳର ନେତା ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଅଧିକ ଦାବିଦାର । ଯେହେତୁ ବିରୋଧୀ ଶିବିରରେ ଅନେକ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ତେଣୁ ଏହି ପଦ ପାଇଁ ଲବି ଜୋରଦାର ହେବା ସ୍ବଭାବିକ । ମଣିପୁରରେ ରାତାରାତି ଦଳ ଡୁବିଯିବା ଅବସ୍ଥାକୁ ଚାଲିଆସିବାରୁ ଦଳ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ବିରୋଧରେ ବର୍ଷିଛନ୍ତି।

ପାଟନାରେ ଜେଡିୟୁର ୨ ଦିନିଆ ଜାତୀୟ ସମ୍ମିଳନୀ ଥିବା‌ବେଳେ ନୀତୀଶ ପାର୍ଟି ଅଫିସ୍‌ରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ବିଜେପି ସହ ମେଣ୍ଟ ଭାଙ୍ଗିବାପରେ ମଣିପୁରରେ ସମସ୍ତ ୬ ବିଧାୟକଙ୍କୁ‌ ଭେଟିଥିଲେ। ଦଳ ପ୍ରତି ‌ସେମାନଙ୍କ ପ୍ରତିବଦ୍ଧତା ନେଇ ସେମାନେ ନିଶ୍ଚିତ କରାଇଥିଲେ। କିନ୍ତୁ ଏହାପରେ ହଠାତ୍‌ ୫ ଜଣ ବିଧାୟକ ଦଳ ଛାଡ଼ିଛନ୍ତି। ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ।

ସେମାନେ (ବିଜେପି) ଅନ୍ୟ ଦଳରୁ ବିଧାୟକଙ୍କୁ ନେଇ ଯାଉଛନ୍ତି। ଏହା କ’ଣ ସାମ୍ବିଧାନିକ କାର୍ଯ୍ୟ କି ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି। ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇବା ପାଇଁ ସବୁ ଦଳ ଏକଜୁଟ ହେବା ପାଇଁ ନୀତୀଶ ଆହ୍ବାନ ଦେଇଛନ୍ତି ଏବଂ ସମସ୍ତେ ଏକାଠି ହେଲେ ବିଜେପିର ଆସନ ସଂଖ୍ୟା ୫୦କୁ ଖସିଆସିବ ବୋଲି କହିଛନ୍ତି। ତେବେ ନୀତିଶଙ୍କ ଆହ୍ବାନକୁ ସାଧାରଣ ଲୋକ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା । କାରଣ ଗତ କିଛି ବର୍ଷ ଭିତରେ ବିରୋଧୀଙ୍କ ଭିତରେ ମେଳିନଥିବା କଥା ପ୍ରମାଣିତ ହୋଇଛି । ଏହାର କାରଣ ହେଉଛି କିଏ ନେତୃତ୍ବ ନେବ । ଯେହେତୁ ଅନେକ ନେତା ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖିଛନ୍ତି ତେଣୁ କେହି କାହାକୁ ବାଟ ଛାଡୁନାହାଁନ୍ତି । ତେବେ ଦେଖାଯାଉ ନୀତିଶଙ୍କ ସ୍ପପ୍ନ ପୂରଣ ହେଉଛି କି ତାଙ୍କ ଦଳ ପୂର୍ବ ଭଳି ତଳକୁ ତଳକୁ ଯାଉଛି