ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ

ତାଞ୍ଜାନିଆର  ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଏବଂ ଜାଞ୍ଜିବରର  ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ ।


ଏ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି । ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ । ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ ।