ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ
ସିଙ୍ଗରରୁ ରାଜନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ। ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାର୍ଲିଫର୍ଣ୍ଣିଆ ପୁଲିସ୍ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ମୁସେୱାଲାଙ୍କ ହତ୍ୟା ଘଟଣା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା।ତେବେ ସେ କାନାଡାରେ ରହି ଭାରତରେ ତା’ର ନେଟୱର୍କ ଚଳାଉଥିବାରୁ ତାକୁ ଧରିବା ସହଜ ହେଉ ନଥିଲା। କିନ୍ତୁ ଏବେ ସେ କାର୍ଲିଫର୍ଣ୍ଣିଆରେ ଧରାପଡ଼ିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ଖବର ମିଳିଛି।
ତା’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପୂର୍ଣ୍ଣ ତଥ୍ୟ ମିଳିଥିବା ମଧ୍ୟ କୁହାଯାଉଛି। ତେବେ ଏଯାଏ ବିଧିବଦ୍ଧ ଭରବେ କାର୍ଲିଫର୍ଣ୍ଣିଆ ପ୍ରଶାସନ କିମ୍ବା ପୁଲିସ୍ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’, ଆଇବି, ଦିଲ୍ଲୀ ପୁଲିସ୍ ସ୍ପେଶାଲ ସେଲ ଓ ପଞ୍ଜାବ ଗୁଇନ୍ଦା ବିଭାଗ ବ୍ରାର ଠିକଣା ସମ୍ପର୍କରେ ସୂଚନା ପାଇଛନ୍ତି ଓ ତା’କୁ କାର୍ଲିଫର୍ଣ୍ଣିଆରେ ଅଟକ ରଖାଯାଇଥିବା ଖବର ହାସଲ କରିଛନ୍ତି।
ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ଏହାର କିଛି ମାସ ପରେ ଅର୍ଥାତ ମେ’ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲାରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ମୁସେୱାଲାଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଘଟଣା ଦିନ ମୁସେୱାଲା ତାଙ୍କର ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ନିଜ ସହ ନେଇ ନଥିଲେ। ଏହାର ସୁଯୋଗ ନେଇ ୬ ଜଶ ଶୁଟର ତାଙ୍କୁ ହତ୍ୟା କରିଥିଲେ।