ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ
ମିଜୋରାମ ବିଧାନସଭା ନିର୍ବାଚନ ଭୋଟ୍ ଗଣନା ଚାଲିଥିବା ବେଳେ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୪୦ଟି ଆସନରୁ ‘ଜୋରାମ୍ ପିପୁଲ୍ସ୍ ମୁଭ୍ମେଣ୍ଟ୍’ (ଜେଡ୍ପିଏମ୍) ସଂଖ୍ୟାଗରିଷ୍ଠ ସୀମା ଅତିକ୍ରମ କରି ୨୧ଟି ଆସନରେ ବିଜୟୀ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।୧୨ଟି ଆସନରେ ବିଜୟ ହାସଲ କରିଥିବା ‘ଜେଡ୍ପିଏମ୍’ ଏବେ ୧୫ଟି ଆସନରେ ଅଗ୍ରଣୀ ରହିଛି ବୋଲି ନିର୍ବାଚନ କମିସନ୍ ସୂଚନା ଦେଇଛି। ସେହିପରି, ଶାସକ ‘ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍’ (ଏମ୍ଏନ୍ଏଫ୍) ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୮ଟି ଆସନରେ ଅଗ୍ରଣୀ ରହିଛି। କିନ୍ତୁ, ଦଳର କେତେକ ବରିଷ୍ଠ ନେତା ପଛୁଆ ରହିଥିବା ସହିତ କେତେ ଜଣ ମଧ୍ୟ ପରାସ୍ତ ହୋଇସାରିଛନ୍ତି। ‘ଜେଡ୍ପିଏମ୍’ ପ୍ରାର୍ଥୀ ଲାଲ୍ଥଙ୍ଗସଙ୍ଗା ଅଇଜୋଲ୍ ଇଷ୍ଟ୍-୧ ଆସନରେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କୁ ୨୧୦୧ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ‘ଜେଡ୍ପିଏମ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲ୍ଡୁହୋମା କହିଛନ୍ତି, ମିଜୋରାମ୍ ଆର୍ଥିକ ସଙ୍କଟରେ ପଡ଼ିଛି। ବିଦାୟୀ ସରକାରଙ୍କଠାରୁ ଉତ୍ତରାଧିକାରସୂତ୍ରରେ ଆମେ ଆର୍ଥିକ ସଙ୍କଟ ହିଁ ଗ୍ରହଣ କରିବୁ। ଆମେ ଆମ ପ୍ରତିଶ୍ରୁତି ପରିପୂରଣ କରିବୁ।