ଟୋକିଓରେ ଓଡ଼ିଶା ବିଜନେସ ମିଟ୍, ଯୋଗ‌ଦେଲେ ୨୦୦ ନିବେଶକ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଗ୍ରିନ୍ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜାପାନର ନିବେଶକମାନେ ଆଗ୍ରହ ଦେଖାଇଛନ୍ତି। ଟୋକିଓରେ ଓଡ଼ିଶା ବିଜ୍‌ନେସ୍‌ ମିଟ୍ ଅବସରରେ ନିହୋନ୍‌-ଉତ୍କଳ ଓ ଆଇଆଇଆଇଟି ଭୁବନେଶ୍ବର ମଧ୍ୟରେ ଦକ୍ଷତା ବିକାଶକୁ ନେଇ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଜାଇକାର ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ପ୍ରତିନିଧି ଦଳ ମଧ୍ୟ ଆଲୋଚନା କରିଛନ୍ତି।

ଏହି ବିଜ୍‌ନେସ୍‌ ମିଟ୍‌ରେ ୨୦୦ରୁ ଅଧିକ ନିବେଶକ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଜାପାନର ସଭାପତି ଜଗମୋହନ ଏସ୍‌ ଚନ୍ଦ୍ରାନି, ପିଡବ୍ଲୁସି ଏସିଆ ପାସିଫିକ୍‌ର ଉପାଧ୍ୟକ୍ଷ କୋଇଚିରୋ କିମୁରା,  ଟୋୟୋ ଇଞ୍ଜିନିୟରିଂର ଗ୍ରୁପ୍ ହେଡ୍‌ ‌ପୋନୋମାରେନ୍ ଡିମିତ୍ରି, ଜେଏଫ୍ଇ ଷ୍ଟିଲ୍‌ କର୍ପୋରେସନର ନିର୍ଦେଶକ ହିରୋୟୁକି ଓଗାୱା, ଫୁଜିସପ୍ଟର ସିଓଓ ରେନ୍‌ହଙ୍ଗ ସନ୍‌ ଓ ନିସିନ୍‌ ଫୁଡ୍‌ସର ସିଇଓ ମାଚିକୋୟ କାକୁଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।