ମନୁଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ମନୁଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି  ।  ୩୨ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଖେଳାଳି ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥ୍‌ଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି। ସେହିପରି ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତତ୍ୱ ନିଜ ନାମରେ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା।

୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ। ତାଙ୍କୁ ମଧ୍ୟ ଖେଳ ରତ୍ନରେ ସମ୍ମାନିତ କରାଯାଇଛି।