ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ
ଇମ୍ପାଲ: ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ବିଭିନ୍ନ ଛାତ୍ର ସଂଗଠନ ଦ୍ବାରା ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ଗତରାତିରେ ଆନ୍ଦୋଳନକାରୀମାନେ ଉରିପକ୍, ୟେସକୁଲ, ସାଗୋଲବନ୍ଦ୍ ଏବଂ ତେରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ ସେଲ୍ ପ୍ରୟୋଗ କରିଥିଲା। ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇମ୍ଫାଲ ପୂର୍ବ ଏବଂ ପଶ୍ଚିମରେ କର୍ଫ୍ୟୁ ଫେରିଛି। ଇତିମଧ୍ୟରେ ଥୌବାଲ ଜିଲ୍ଲାର ଖୋଙ୍ଗଜାମରେ ବିଜେପି ଅଫିସ୍ରେ ନିଆଁ ଲଗାଇ ଦିଆଯାଇଛି। ମଣିପୁର ପୁଲିସ ଏକ ବିବୃତି ଜାରି କରି କହିଛି ଯେ ବିଶୃଙ୍ଖଳ ଜନତା ଏକ ପୁଲିସ ଗାଡ଼ିକୁ ଟାର୍ଗେଟ୍ କରି ଜାଳି ଦେଇଛନ୍ତି। ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।