ବାଜିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ବିଗୁଲ, କେବେ ହେବ ଭୋଟ ଜାଣନ୍ତୁ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି।  ଭାରତୀୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ  ପ୍ରେସ୍ କନ୍‌ଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ  । ମହରାଷ୍ଟ୍ରରେ ନଭେମ୍ବର ୨୦ରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୧୩ ଏବଂ ନଭେମ୍ବର ୨୦ରେ ନିର୍ବାଚନ ହେବ  । ନଭେମ୍ବର ୨୩ରେ ଭୋଟ ଗଣତି ହେବ । ତେଣୁ କହିବାକୁ ଗଲେ ଦୁଇଟି ରାଜ୍ୟରେ ନଭେମ୍ବର ୨୩ରେ ଭୋଟ ଗଣତି ହେବ । ଏବେ ମହାରାଷ୍ଟ୍ରରେ ଶିବସେନା ବିଜେପି ମେଂଟ ସରକାର ଚାଲିଛି । ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ସରକାର ଚଳାଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି।

ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ। ମହାରାଷ୍ଟ୍ରରେ  ୧,୦୦,୧୮୬ ପୋଲିଂ ଷ୍ଟେସନ ହେବ। ୯ କୋଟିରୁ ଅଧିକ ଲୋକ ଏଠାରେ ମତାଧିକାର ସାବ୍ୟସ୍ତ କରିବେ। ଏହି ପୋଲିଂ ଷ୍ଟେସନଗୁଡ଼ିକ ମୋଟ ୫୨,୭୮୬ଟି ସ୍ଥାନରେ ତିଆରି କରାଯିବ। ଝାଡ଼ଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମେ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି।

ଝାଡ଼ଖଣ୍ଡର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୨.୬ କୋଟି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ କୋଟି ଓ ମହିଳା ଭୋଟରଙ୍କ ସଂଖ୍ୟା ୧.୨୯ କୋଟି। ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଜାନୁଆରୀ ୫ରେ ସରକାରଙ୍କ କାର‌୍ୟ୍ୟକାଳ ଶେଷ ହେବ। ଏବେ ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ସରକାର ରହିଛନ୍ତି। ୨୦୧୯ରେ ବିଜେପି ୧୦୫, କଂଗ୍ରେସ ୪୪, ଶିବସେନା ୫୬, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବାଜିମାତ କରିଥିଲେ। ଅନ୍ୟପକ୍ଷରେ ଏବେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ଜେଏମଏମ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି।୨୦୧୯ରେ ଝାଡ଼ଖଣ୍ଡରେ ଜେଏମଏମ ୩୯ଟି, ବିଜେପି ୨୫ଟି, କଂଗ୍ରେସ ୧୬ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିଥିଲେ।