ଆଜି ଶପଥ ନେବେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା
ମିଜୋରାମ : ଆଜି ଶପଥ ନେବେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା । ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ଆଜି ଶପଥ ଗ୍ରହଣ କରିବେ । ବିରାଟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା । ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ମିଜୋରାମ ବିଧାନସଭାର ୪୦ରୁ ୨୭ ଆସନ ଜିତି ଜେଡ୍ପିଏମ୍ ରାଜ୍ୟରେ ଦମ୍ଦାର ବିଜୟ ହାସଲ କରିଛି । ପୂର୍ବତନ ଆଇପିଏସ୍ ଲାଲଡୁହୋମା ଜୋରାମ ନ୍ୟାସନାଲିଷ୍ଟ ପାର୍ଟି ନାମକ ଏକ ଦଳ ଗଠନ କରିଥିଲେ, ଯାହା ମାଧ୍ୟମରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ। ଅନ୍ୟପକ୍ଷରେ ଲାଲଡୁହୋମାଙ୍କ ଦଳ ରାଜ୍ୟର ଅନ୍ୟ ପାଞ୍ଚଟି ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରିଛି। ଯାହା ପରେ ସେହି ସହଯୋଗୀ ଦଳ ଏକ ରାଜନୈତିକ ଦଳରେ ପରିଣତ ହୋଇଥିଲା, ଯାହାକି ୨୦୧୭ ରେ ZPM (ଜୋରାମ ପିପୁଲ୍ସ ମୁଭମେଣ୍ଟ) ପାର୍ଟି ନାମରେ ସୃଷ୍ଟି ହୋଇଥିଲା | ୧୯୭୨ ରୁ ୧୯୭୭ ପର୍ଯ୍ୟନ୍ତ ଲାଲଡୁହୋମା ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସହାୟକ ଭାବରେ କାର୍ଯ୍ୟ କରିଥିଲେ। ସ୍ନାତକୋତ୍ତର ପରେ ସେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଦେଇଥିଲେ। ୧୯୭୭ ରେ ଆଇପିଏସ୍ ହେବା ପରେ ସେ ଗୋଆରେ ସ୍କାଡ୍ ଲିଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ସେ ଚୋରା ଚାଲାଣକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।