ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ ଖାନ୍ନା ହେବେ ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି । ତେବେ ତାଙ୍କ କାର୍ଯ୍ୟକାଳ ରହିବ ୬ ମାସ । ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ ।
ନଭେମ୍ବର ୧୧ରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ । ତେବେ ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ । ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼। ୧୯୬୦ ମେ’ ୧୪ରେ ଜନ୍ମିତ ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ୟୁନିଭର୍ସିଟିର କ୍ୟାମ୍ପସ୍ ଲ’ ସେଣ୍ଟରରେ ଆଇନ ଶିକ୍ଷା ଲାଭ କରିଥିଲେ । ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି ।