ଭିସା ପାଇଁ ଭାରତୀୟଙ୍କୁ ଆବଶ୍ୟକ ପଡ଼ିବନି ପିସିସି

ଭାରତୀୟ ପାଇଁ ବଡ଼ ଘୋଷଣା କରିଛି ସାଉଦି ଆରବ। ଏଣିକି ଭାରତୀୟ ନାଗରିକଙ୍କୁ ଆରବ ଭିସା ହାସଲ କରିବା ପାଇଁ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ (ପିସିସି) ଦେବାକୁ ପଡିବ ନାହିଁ । ଦିଲ୍ଲୀସ୍ଥିତ ସାଉଦି ଦୂତାବାସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏବେ ଭିସା ପାଇଁ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ ଦରକାର ପଡିବ ନାହିଁ ବୋଲି ଏଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ସାଉଦି ଆରବ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଗତ କିଛି ବର୍ଷ ଧରି ଭାରତ ଏବଂ ସାଉଦି ଆରବ ମଧ୍ୟରେ ରାଜନୈତିକ, ପ୍ରତିରକ୍ଷା, ଶକ୍ତି, ନିବେଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ସମ୍ପର୍କ ଅଧିକ ମଜଭୁତ ହୋଇଛି। କରୋନା ମହାମାରୀ ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତମ ରହିଥିଲା ବେଳେ ପରବର୍ତ୍ତୀ ସମୟରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାଉଦି ଆରବ ଗସ୍ତ ଏହାକୁ ଆହୁରି ମଜବୁତ କରିଥିଲା।