ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଲା ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଛି ଭାରତ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ତିତି ସୃଷ୍ଟି କରିଥିଲା। କାହିଁକି ନା ଯଦି ଏହି ମ୍ୟାଚରେ ଭାରତୀୟ ଦଳ ହାରିଯାଏ ତେବେ ସିରିଜ୍ ହାରିଯାଇଥାନ୍ତା।। ପ୍ରଥମ ଟି -୨୦ରେ ଅଷ୍ଟ୍ରେଲିଆ ଚାରିଟି ୱିକେଟ୍ ନେଇ ଭାରତକୁ ପରାସ୍ତ କରିଥିଲା। ଚଳିତ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଡ଼ିଆ ଓଦା ଥିବା ହେତୁ ଏହି ମ୍ୟାଚ୍ ଆଠ ଓଭର ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଠ ଓଭରରେ ପାଞ୍ଚଟି ଓ୍ବିକେଟ ହରାଇ ୯୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୪ ୱିକେଟ୍ ହରାଇ ୭ ଓଭର ୨ଟି ବଲରେ ଟାର୍ଗେଟ ପୂରଣ କରିଥିଲା।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୯୦ ରନ୍‌ କରି ଭାରତକୁ ୯୧ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଲକ୍ଷପୂରଣ କରିବା ନେଇ ଭାରତୀୟ ଦଳ ମଧ୍ୟ ମଇଦାନକୁ ଓହ୍ଲାଇଥିଲେ। ପ୍ରଥମ ଓଭରରେ ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଓପନିଂ ୨୦ରନ୍‌ର ଖାତା ଖୋଲିଥିଲା। ଜୋଶ ହାଜଲେଉଡଙ୍କ ଏହି ଓଭରରେ ରୋହିତ ଦୁଇଟି ଛକା ମାରିଥିବା ବେଳେ ରାହୁଲ ଗୋଟିଏ ଛକା ମାରିଥିଲେ। ତୃତୀୟ ଓଭରରେ ୩୦ ରନରେ ଭାରତ ପ୍ରଥମ ଓ୍ବିକେଟ ହରାଇଥିଲା। ୬ ଟି ବଲରେ ୧୦ ରନ୍ କରି କେ.ଏଲ୍ ରାହୁଲ ପାଭିଲିୟନ ଫେରିଥିଲେ। ଆଡାମ ଜାମ୍ପା ରାହୁଲଙ୍କ ବିପକ୍ଷରେ ବୋଲିଂ କରିଥିଲେ।