ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସର୍ତକ କରାଇବା ପରେ ଭାରତରେ ତନାଘନା

ଆଫ୍ରିକୀୟ ଦେଶ ଗାମ୍ବିଆରେ କଫ୍ ସିରଫ ଖାଇ ୬୬ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଛି । ଭାରତର ହରିୟାଣା ସ୍ଥିତ ମେଡେନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କଫ୍ ସିରଫକୁ ବ୍ୟବହାର ନକରିବା ପାଇଁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ୪ଟି କଫ ସିରଫ୍ ଭାରତରେ ବିକ୍ରି ହେଉ ନାହିଁ ।ମେଡେନ କଂପାନୀଙ୍କୁ କେବଳ ରପ୍ତାନୀ ପାଇଁ କଫ୍ ସିରଫ୍ ପ୍ରସ୍ତୁତ କରିବାକୁ ଅନୁମତି ରହିଥିଲା । ତେବେ କୌଣସି ଔଷଧ ଆମଦାନୀ କରିବା ଆଗରୁ ଏହାର ବିଧିବଦ୍ଧ ଯାଞ୍ଚ କରି ଔଷଧ ନେବା ସଂପୃକ୍ତ ରାଷ୍ଟ୍ରର ଦାୟିତ୍ୱ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । ଏହାଛଡା ରପ୍ତାନୀ ପାଇଁ ଉଦ୍ଧିଷ୍ଟ କଫ୍ ସିରଫ୍ ଭାରତରେ ଚୋରା ଚାଲାଣ ହୋଇଛି ନା ନାହିଁ ତଦନ୍ତ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର । ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ହରିଆଣାର ମେଡେନ ଫାର୍ମାସିଟିକାଲର ୪ଟି ଔଷଧକୁ ପରୀକ୍ଷା ପାଇଁ ପଠାଯାଇଛି ।