ଶ୍ରଦ୍ଧା ୱାକର୍ ହତ୍ୟା ମାମଲା
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର୍ ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ନୂଆ ପ୍ରମାଣସ୍ବରୂପ ଗୋଟାଏ ଅଡିଓ କ୍ଲିପ୍ ପାଇଛି। ଏଥିରେ ହତ୍ୟା ଅଭିଯୁକ୍ତ ଆଫ୍ତାବ୍ ପୂନାୱାଲା ଶ୍ରଦ୍ଧାଙ୍କ ସହିତ ଝଗଡ଼ା କରୁଥିବା ଶୁଣାଯାଉଛି।
ଏହି ଅଡିଓ କ୍ଲିପ୍ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ ଦର୍ଶାଇବାରେ ଖୁବ୍ ସହାୟକ ହେବ ବୋଲି ପୁଲିସ ବିଚାର କରୁଛି। ଦିଲ୍ଲୀ ଅଦାଲତଙ୍କ ଆଦେଶ ପରେ ‘ସିବିଆଇ’ର ଫୋରେନ୍ସିକ୍ ଟିମ୍ ଆଜି ଆଫ୍ତାବ୍ଙ୍କ କଣ୍ଠସ୍ବରର ନମୁନା ସଂଗ୍ରହ କରିବ। ଏହାପରେ ତଦନ୍ତକାରୀ କର୍ତ୍ତୃପକ୍ଷ ଉକ୍ତ କଣ୍ଠସ୍ବର ନମୁନାକୁ ସଂଗୃହୀତ ଅଡିଓ କ୍ଲିପ୍ ସହିତ ମେଳାଇବା ପରେ ମାମଲା ସଂକ୍ରାନ୍ତରେ କିଛି ନୂଆ ସୁରାକ୍ ପାଇବ।
ନଭେମ୍ବର ୨୬ରୁ ବିଚାର ବିଭାଗୀୟ ହାଜତରେ ଥିବା ଆଫ୍ତାବ୍ଙ୍କ ରହଣିକୁ ଶୁକ୍ରବାର ଦିନ ଅଦାଲତ ଆହୁରି ୧୪ ଦିନକୁ ବୃଦ୍ଧି କରିଛନ୍ତି।ଏହି ଆଦେଶ ବିରୋଧରେ ଆଫ୍ତାବ୍ଙ୍କ ଓକିଲଙ୍କ ଯୁକ୍ତି ସତ୍ତ୍ବେ ଅଦାଲତ କହିଛନ୍ତି ଯେ, କେବଳ ‘ନାର୍କୋ ଆନାଲିସିସ୍’, ‘ବ୍ରେନ୍ ମ୍ୟାପିଙ୍ଗ୍’ ଏବଂ ‘ପଲିଗ୍ରାଫି’ ପାଇଁ ଅଭିଯୁକ୍ତଙ୍କ ସମ୍ମତି ଆବଶ୍ୟକ।