ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗ ଜୋର ଧରିଲା

ନୂଆଦିଲ୍ଲୀ: ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ଅଡ଼ୁଆ ବଢ଼ିବାରେ ଲାଗିିଛି । ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାକୁ ନେଇ ରାଜନୀତି ଜୋର ଧରିଛି । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ମାମଲାରେ ଏକ ନୂଆ ମୋଡ଼ ଆସିଛି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ନିଜେ ଏକ ସତ୍ୟପାଠ ଦ୍ବାରା ଘୋଷଣା କରିଛନ୍ତି ଯେ ଏହି ଅଭିଯୋଗ ସତ। ମହୁଆ ମୈତ୍ର ହିଁ ତାଙ୍କ ସଂସଦ ଆକାଉଣ୍ଟର ଲଗ୍‌-ଇନ୍‌ ଏବଂ ପାସ୍‌ୱାର୍ଡ ସେୟାର କରିଥିଲେ ବୋଲି ହୀରାନନ୍ଦାନୀ କହିଛନ୍ତି। ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ସଂସଦରେ ପଚରାଯାଉଥିବା ପ୍ରଶ୍ନ ସେ ନିଜେ ହିଁ ସଂସଦର ୱେବ୍‌ସାଇଟ୍‌ରେ ମହୁଆଙ୍କ ଆକାଉଣ୍ଟରେ ଅପ୍‌ଲୋଡ କରୁଥିଲେ। ‘ମୁଁ ଆଦାନି ଗ୍ରୁପ୍‌କୁ ଟାର୍ଗେଟ୍‌ କରିବାପାଇଁ ପ୍ରଶ୍ନ ପଠାଇଥିଲି। ଅସମର୍ଥିତ ସୂତ୍ରକୁ ଆଧାର କରି ମହୁଆଙ୍କ ସଂସଦ ଆକାଉଣ୍ଟରେ ପ୍ରଶ୍ନ ପୋଷ୍ଟ୍‌ କରୁଥିଲି’ ବୋଲି ହୀରାନନ୍ଦାନୀ କହିଛନ୍ତି। ଆଦାନିଙ୍କୁ ଟାର୍ଗେଟ୍‌ କରିବା ପାଇଁ ମହୁଆ ଲଗାତାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ସଂପର୍କରେ ରହୁଥିଲେ ବୋଲି ହୀରାନନ୍ଦାନୀ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ବିଜେପି ଟାର୍ଗେଟ କରିବା ପରେ ମହୁଆ କହିଛନ୍ତି ଏସବୁ ବିଜେପିର ପ୍ଲାନ । ବିଜେପି ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇବାକୁ ଚାହୁଁଛି । ଏଥିରେ ତାଙ୍କର କିଛି ଦୋଷ ନାହିଁ । ହୀରାନନ୍ଦାନୀଙ୍କୁ ଅସ୍ତ୍ର କରି ବିଜେପି ତାଙ୍କୁ ଫସାଇବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।