ରାହୁଲଙ୍କ ପିଲାଳିଆମୀ କଂଗ୍ରେସକୁ ଅଡୁଆ: ଆଜାଦ

ନୂଆଦିଲ୍ଲୀ: କାହିଁକି ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । କାହିଁକି ଏତେ ବର୍ଷ ପରେ ସମସ୍ତ ପଦରୁ ଇସ୍ତଫା ଦେଲେ? ଏହାର ଉତ୍ତର ନିଜେ ଦେଇଛନ୍ତ ଆଜାଦ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି ଆଜାଦ । କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ସେ ରାହୁଲ ଗାନ୍ଧୀଙ୍କ କାମକୁ ପିଲାଳିଆମି କହିଛନ୍ତି ।

ରାହୁଲଙ୍କ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରିଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ଆପଣଙ୍କ(ସୋନିଆ ଗାନ୍ଧୀ) ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା ଏବଂ ସମସ୍ତଙ୍କଠାରୁ ପରାମର୍ଶ ନିଆଯାଉଥିଲା । କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସର ଏହି ବ୍ୟବସ୍ଥା ଶେଷ ହୋଇଯାଇଥିଲା। ରାହୁଲଙ୍କ କାମ ପିଲାଳିଆମି ଦଳକୁ ନଷ୍ଟ କରିଦେଇଛି ।

ଗୁଲାମ ନବୀ ଆଜାଦ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ପରାମର୍ଶ ଅନୁସରଣ କରିବାର ପରମ୍ପରା ବନ୍ଦ କରିଛନ୍ତି । ଦଳରେ ବରିଷ୍ଠଙ୍କୁ ସମ୍ମାନ ଦିଆଯାଉନାହିଁ ।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଉଛି। ସେହିପରି ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞମାନଙ୍କୁ ସ୍ଥାନ ଦିଆଯାଉଛି । ଜି 23 ନେତାଙ୍କ ପରାମର୍ଶ ଗ୍ରହଣ କରାଯାଉନାହିଁ । ଅଧ୍ୟକ୍ଷ ନିର୍ବାଚନ ହେଉନାହିଁ ।