ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି  ହିନ୍ଦୁ ଧର୍ମ ଇସଲାମଠାରୁ ବହୁ ପୁରୁଣା । ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ମୋଗଲ ଆସିବା ପରେ ହିଁ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।  ଅଗଷ୍ଟ ୯ରେ ଡୋଡା ଜିଲ୍ଲାରେ ଗୁଲାମ ନବୀ ଆଜାଦ ଦେଇଥିବା ଭାଷଣରେ କହିଛନ୍ତି କି ଇସଲାମ ଧର୍ମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା । ଭାରତର ମୁସଲମାନ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ଆହୁରି କହିଛନ୍ତି କି ୬୦୦ ବର୍ଷ ପୂର୍ବେ କାଶ୍ମୀରରେ କେବଳ କାଶ୍ମୀରୀ ପଣ୍ଡିତ ଥିଲେ । ଏହା ପରେ ଅନେକ ଲୋକ ମୁସଲମାନ ଧର୍ମ ଗ୍ରହଣ କରି ମୁସଲମାନ ହେଲେ । ଏହି ସମୟରେ ଆଜାଦ ଲୋକମାନଙ୍କୁ ଭାଇଚାରା, ଶାନ୍ତି ଓ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ କି ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ୍ ନୁହେଁ ।