ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ସାଧାରଣ ଲୋକ ଭଳି କାମ କରୁଥିଲି । ଆଗରୁ ରାଜ୍ୟପାଳ ନିଜକୁ ଲାଟସାହେବ ଭାବୁଥିଲେ । ଏହି ଚିନ୍ତାଧାରାକୁ ଭାଙ୍ଗିଥିବା କହିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଥିବା ସେ କହିଛନ୍ତି ।
ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି, ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ । ରାଜନୀତିକୁ ଫେରିବା ପରେ ପ୍ରତିକ୍ରିୟା ଦେଇ କିଛି ଏଭଳି କହିଛନ୍ତି ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି ।
୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ । ସେହି ବର୍ଷ ରଘୁବରଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ନେଇ ଦିଲ୍ଲୀ ଡକାଯାଇଥିଲା । ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ୱର ପଠାଯାଇଥିଲା ।
ରଘୁବର ୨୦୨୪ ମଧ୍ୟଭାଗରେ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଶେଷରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରୁ ଦୂରେଇ ରହିଥିଲେ । ଉଭୟ ନିର୍ବାଚନରେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । ଲୋକସଭା ନିର୍ବାଚନରେ ବିଜେପି ୩ଟି ଓ ବିଧାନସଭା ନିର୍ବାଚନରେ ୫ଟି ଆସନ ହରାଇଥିଲା । ତେଣୁ ବିଜେପି ପୁଣି ତାଙ୍କୁ ରାଜ୍ୟ ରାଜନୀତିକୁ ଫେରାଇ ନେଇଛି । ଆଗାମୀ ଦିନରେ ସେ ରାଜ୍ୟ ବିଜେପି ମଂଗ ସମ୍ଭାଳିବାର ସଂଭାବନା ରହିଛି ।