ଅପରାହ୍ଣ ୩ଟା ସୁଦ୍ଧା ୫୦% ମତଦାନ, ତ୍ରିପୁରାରେ ସର୍ବାଧିକ ମତଦାନ

ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହା ପରେ ମଣିପୁର ୬୮.୫ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଏହାପରେ ଛତିଶଗଡ଼ ୩ୟ ସ୍ଥାନରେ ରହିଛି, ଯେଉଁଠି ଅପରାହ୍ନ ୩ଟା ସୁଦ୍ଧା ୬୩.୯ ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗ ଓ ଆସାମରେ ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି।ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ ହେଉଛି । ଏସବୁ ଆସନରେ ମୋଟ ୧୫.୮୮ କୋଟିରୁ ଅଧିକ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏମାନଙ୍କ ମଧ୍ୟରେ ୮.୦୮ କୋଟି ପୁରୁଷ, ୭.୮ କୋଟି ମହିଳା ଓ ୫,୯୨୯ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। କେରଳର ସମସ୍ତ ୨୦ଟି ଲୋକସଭା ଆସନରେ ନିର୍ବାଚନ ହେଉଛି। କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୬, ଆସାମର ୫, ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ତ୍ରିପୁରା, ମଣିପୁର ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନ ସମେତ ୮୮ଟି ଆସନରେ ମତଦାନ ହେଉଛି।