କଲାମଙ୍କୁ ସଲାମ କରୁଛି ଦେଶ
ସ୍ୱପ୍ନ ତାହା ନୁହେଁ, ଯାହା ତୁମେ ଶୋଇଲା ବେଳେ ଦେଖୁଛ । ସ୍ୱପ୍ନ ସିଏ ଯିଏ ତୁମକୁ କେବେ ଶୋଇବାକୁ ଦିଏନି । ସେ କେବଳ ଭାଷଣ ମାରନ୍ତିନି, ତାକୁ କାମରେ ବି କରି ଦେଖାନ୍ତି । ଦୁନିଆକୁ ଏହି ସବୁ କଥାର ଅର୍ଥ ବୁଝାନ୍ତି । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି କରିବାର ଜୋଶ ତାଙ୍କୁ ସବୁବେଳେ ପାଗଳ କରିଥିଲା । ଆଉ ଏହି ସବୁ ଜୁନୁନ ତାଙ୍କୁ ଖବର କାଗଜ ହକରରୁ ମିସାଇଲ ମ୍ୟାନ ଆଉ ଦେଶର ରାଷ୍ଟ୍ରପତି କରିଥିଲା । ସତରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଜିତି ନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ସାରା ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣ ପାଲଟିଥିଲେ । ସେ ହେଉଛନ୍ତି ଭାରତର ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ।
କଲାମଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ପରିଶ୍ରମ ଆଉ ନିଜ ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖିନଥିଲେ, ସରଳତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । କେବଳ ଗୋଟିଏ ଟ୍ରଙ୍କରେ ଥିଲା ତାଙ୍କ ଜୀବନ ସମସ୍ତ ସମ୍ପତ୍ତି । ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ସେ ବିତାଇଥିଲେ । କିଏ ତାଙ୍କୁ କେତେ ରୂପରେ ମନେ ରଖିଛି କିଏ ମିସାଇଲ ମ୍ୟାନ ଭାବେ ତ କିଏ, ଦେଶର ଭବିଷ୍ୟତକୁ ଶିକ୍ଷା ଦେଉଥିବା ଚାଚା କଲାମଙ୍କ ରୂପରେ ତ କିଏ ଦେଶର ରାଷ୍ଟ୍ରପତି ଭାବେ ।