ନୀତୀଶ କୁମାରଙ୍କ ନୂଆ ମନ୍ତ୍ରିମଣ୍ଡଳ: ୭୨% ମନ୍ତ୍ରୀଙ୍କ ନାମରେ ଅପରାଧୀକ ମାମଲା

ବିହାରରେ ପୁଣି ଜଙ୍ଗଲରାଜ ଆରମ୍ଭ ହୋଇଥିବା ଚର୍ଚା ହେଉଛି । ଏହାର କାରଣ ବିହାର ସରକାରରେ ଏବେ ଅଧିକାଂଶ ମନ୍ତ୍ରୀଙ୍କ ନାମରେ ଅପରାଧୀକ ମାମଲା ରହିଛି । ଏପରିକି ଆଇନମନ୍ତ୍ରୀଙ୍କ ନାମରେ ମଧ୍ୟ ଅପହରଣ ମାମଲା ରହିଛି । ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା। ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା। ସେହିପରି ବିହାରର ଆଇନମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ନାଁରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି।

ଅଗଷ୍ଟ ୧୬ରେ ଆରଜେଡି ନେତା ଶ୍ରୀ ସିଂହ ଦାନାପୁର କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା।ତାଙ୍କ ନାଁରେ ଗୋଟିଏ ଅପହରଣ ମାମଲା ଥିବାରୁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ହାଜର ହେବା ପରିବର୍ତ୍ତେ ବିହାରର ମନ୍ତ୍ରୀ ଭାବେ ଶପଥ ନେଇଥିଲେ।