ଭାରତ ଯୋଡ଼ୋ ଯାତ୍ରା ବେଳେ ବିବାଦ

କଂଗ୍ରେସ ୮ ଦିନ ହେଲା ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ପଦଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧିଙ୍କ ଟି-ଶାର୍ଟକୁ ନେଇ ବିବାଦ ଦେଖାଯାଉଛି ତ ଆଉ କେତେବେଳେ ଦଳର ବିଶ୍ରାମ ପାଇଁ ପ୍ରସ୍ତୁତ କରାଯାଇଥିବା କଣ୍ଟେନର ବିବାଦ ସୃଷ୍ଟି କରୁଛି।ଏସବୁ ଭିତରେ କିଛି କଂଗ୍ରେସ କର୍ମୀ ଭାରତ ଯୋଡ଼ୋ ଯାତ୍ରା ବେଳେ ଗୁଣ୍ଡାଗର୍ଦ୍ଦି କରିବା ସହ ବଳ ପୂର୍ବକ ଚାନ୍ଦା ଦେବାକୁ ବାଧ୍ୟ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି। କେରଳର କୋଲ୍ଲାମ ଅଞ୍ଚଳରେ କଂଗ୍ରେସର କର୍ମୀମାନେ ପରିବାର ବିକାଳୀମାନଙ୍କ ଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆଜି ଦଳ ପକ୍ଷରୁ ୩ ଜଣ କଂଗ୍ରେସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ଭାରତ ଯୋଡ଼ୋ ଯାତ୍ରା ବେଳେ କିଛି କଂଗ୍ରେସ କର୍ମୀ ପରିବାର ବିକାଳୀଙ୍କୁ ଚାନ୍ଦା ପାଇଁ ଧମକ ଦେଇଥିଲେ। ଯାତ୍ରା ପାଇଁ ଆବଶ୍ୟକ ଅର୍ଥ ନ ଦେବାରୁ ସେମାନେ ପରିବାର ପତ୍ର ଫିଙ୍ଗି ଦେଇଥିଲେ। ଏଥିସହ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ କଂଗ୍ରେସ କର୍ମୀଙ୍କ ଆଚରଣକୁ ସମାଲୋଚନା କରାଯାଇଥିଲା।

ଏବେ ଦଳ ଘଟଣାରେ ସାମିଲ ଥିବା ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କେରଳ କଂଗ୍ରେସ ମୁଖ୍ୟ କେ ସୁଧାକରନ ଟ୍ୱିଟ କରି କହିଛନ୍ତି।