ଅଟଳବିହାରୀ ବାଜପେୟୀଙ୍କ ଉପରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି।ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗ‌ୌରବ ପାନ୍ଧୀ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’କୁ ସମାଲୋଚନା କରି କହିଥିଲେ କି, ଭାରତ ଛାଡ଼ ଆନ୍ଦୋଳନ ସମୟରେ ବାଜପେୟୀ ‘ବ୍ରିଟିସ୍‌ ସୂଚନାଦାତା’ ଭାବେ କାର୍ଯ୍ୟ କରୁଥିଲେ।

ସମ୍ପ୍ରତି ଡିଲିଟ୍‌ ହୋଇସାରିଥିବା ଏ ଟୁଇଟ୍‌ ପ‌ୋଷ୍ଟ୍‌ରେ ପାନ୍ଧୀ କହିଥିଲେ, ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର ବାକି ସମସ୍ତ ସଦସ୍ୟଙ୍କ ଭଳି ୧୯୪୨ରେ ଅଟଳବିହାରୀ ବାଜପେୟୀ ଭାରତ ଛାଡ଼ ଆନ୍ଦୋଳନ ବର୍ଜନ କରି ଜଣେ ବ୍ରିଟିସ୍‌ ସୂଚନାଦାତାଙ୍କ ଭଳି କାମ କରିବା ସହିତ ଆନ୍ଦୋଳନରେ ଭାଗ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ରିପୋର୍ଟ ଦେଉଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ସେ ନେଲି ନରସଂହାର ହେଉ ଅଥବା ବାବ୍ରି ଧ୍ବଂସ ହେଉ, ଉତ୍ତ୍ୟକ୍ତ ଜନତାଙ୍କୁ ଉସ୍‌କାଇବାରେ ବାଜପେୟୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହି କାରଣରୁ ଆଜି ‘ବିଜେପି’ ନେତାମାନେ ସବୁବେଳେ ମୋଦୀଙ୍କୁ ଗାନ୍ଧୀଙ୍କ ସହିତ ତୁଳନା କରୁଛନ୍ତି। ପଟେଲ କିଂବା ଅନ୍ୟ କଂଗ୍ରେସ ନେତା କିଂବା ସବର୍‌କର୍‌, ବାଜପେୟୀ କିଂବା ଗୋଲ୍‌ୱାକର୍‌ଙ୍କ ସହିତ ତୁଳନା କରୁ ନାହାନ୍ତି। ସେମାନେ ବାସ୍ତବ କଥା ଜାଣିଛନ୍ତି।