ସଫଳତାର ପାହାଚ ଚଢୁଛି ଇସ୍ରୋ
ବେଙ୍ଗାଲୁରୁ: ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ । ଆଜି ହେବ ପଞ୍ଚମ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ । କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ ।୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧ ଦଶମିକ ୬୮ କିଲୋମିଟର ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କିଲୋମିଟରକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।