ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଆସିଛି ଏକ ବଡ଼ ଖବର । ଚନ୍ଦ୍ରଯାନ-୩ କେବେ ଲଞ୍ଚ ହେବ ସେ ନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଜୁଲାଇ ମାସ ୧୨ରୁ ୨୫ ତାରିଖ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ମାତ୍ର ଏବେ ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ ହେବ ବୋଲି ଇସ୍ରୋ ମୁଖ୍ୟଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ।
ଇସ୍ରୋ ମୁଖ୍ୟ ଶ୍ରୀ ସୋମନାଥ କହିଛନ୍ତି, ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ କରାଯିବ । ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏମକେ୩ ରକେଟ ଦ୍ୱାରା ଚନ୍ଦ୍ରକୁ ପଠାଯିବ । ଲଞ୍ଚ ୱିଣ୍ଡୋ ଜୁଲାଇ ୧୯ ପର୍ଯ୍ୟନ୍ତ ରହିଛି । ଯଦି କୌଣସି ସମସ୍ୟା ସୃଷ୍ଟି ନହୁଏ ତେବେ ଏହି ୭ ଦିନ ମଧ୍ୟରେ ତାହାକୁ ଲଞ୍ଚ କରାଯିବ । ଚନ୍ଦ୍ରଯାନ-୩ ଟେଷ୍ଟିଂ ପାଇଁ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ପେଲୋଡସ୍ ଲଗା ସରିଛି । କିଛିଦିନ ମଧ୍ୟରେ ଲଞ୍ଚିଂର ପ୍ରକୃତ ତାରିଖ ଘୋଷଣା କରାଯିବ ।