ତିରୁପତି ଗସ୍ତ ବାତିଲ କଲେ ଜଗନମୋହନ । ହିନ୍ଦୁମାନଙ୍କୁ ନେଇ ପୂର୍ବରୁ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି । ଆଉ ଏହାରି ଭିତରେ ଓ୍ବାଇଏସ୍ଆର୍ସିପି ମୁଖ୍ୟ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଘୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ନେଇ ଆଲୋଚନା ହେଉଛି। ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ତାଙ୍କୁ ମନ୍ଦିର ଯିବାକୁ ବାରଣ କରିଥିବା ଜଗନମୋହନ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ସରକାର କାହାକୁ ମନ୍ଦିର ଯିବାକୁ ବାରଣ କରନ୍ତି ନାହିଁ । ତେବେ ଜଗନ ଟିଡିପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି ମନ୍ଦିର ଦର୍ଶନରେ ରାଜନୈତିକ ଦଳ ପ୍ରତିବନ୍ଧକ ସୃଷ୍ଟି କରିବା ସେ କେବେ ଦେଖି ନ ଥିବା କହିଥିଲେ। ଅନ୍ୟପକ୍ଷରେ ବିରୋଧୀ ନେତାଙ୍କ ମନ୍ଦିର ଦର୍ଶନରେ ସରକାର ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଖଣ୍ଡନ କରିଛନ୍ତି। ମନ୍ଦିର ଗସ୍ତ ବନ୍ଦ ପାଇଁ ସରକାର ଯଦି ନୋଟିସ୍ ପଠାଇଥିଲେ, ତେବେ ଜଗନ ତାହା ଗଣମାଧ୍ୟମକୁ ଦେଖାନ୍ତୁ ବୋଲି ଚନ୍ଦ୍ରବାବୁ କହିଛନ୍ତି। ସେପଟେ ଜଗନ ପୁଣି ଅଭିଯୋଗ କରିଛନ୍ତି ଯେ ଚନ୍ଦ୍ରବାବୁ ନିଜ ସରକାରର ୧୦୦ ଦିନ ଶାସନର ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତିରୁପତି ଲଡ଼ୁ ପ୍ରସଙ୍ଗ ସୃଷ୍ଟି କରିଛନ୍ତି। ଲଡୁ ପ୍ରସାଦମ୍ ସମ୍ପର୍କରେ ସେ ଡାହା ମିଛ କହିଥିବା ଜଗନ ଅଭିଯୋଗ କରିଛନ୍ତି।