ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍ ମାମଲା
ପଞ୍ଜାବର ମୋହାଲିସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଛାତ୍ରୀମାନଙ୍କର ଅଶ୍ଳୀଳ ଭିଡିଓ ଲିକ୍କୁ ନେଇ ବିବାଦ ଜାରି ରହିଛି । ଏହି ଷଡ଼ଯନ୍ତ୍ର ପଛରେ ବିଦେଶରେ ଥିବା କିଛି ଲୋକଙ୍କ ହାତ ଥିବା କୁହାଯାଉଛି । ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ କାନାଡା ନମ୍ବରରୁ ଅନ୍ତର୍ଜାତୀୟ କଲ୍ ଆସିବା ପରେ ଏ ସଂପର୍କରେ ଖୁଲାସା ହୋଇଛି । କଲ୍ କରିଥିବା ବ୍ୟକ୍ତିଜଣକ ଛାତ୍ରୀମାନଙ୍କୁ ଧମକାଇଥିଲେ । ତୁମମାନଙ୍କର ବି ଭିଡିଓ ବନାଯାଇଛି । ବିକ୍ଷୋଭ କରିବା ବନ୍ଦ ନ କଲେ ତାକୁ ଭାଇରାଲ୍ କରିଦେବୁ ବୋଲି ଧମକ ଦେଇଥିଲେ । ୨ ମିନିଟ୍ ୮ ସେକେଣ୍ଡର ଏହି ଫୋନ୍ କଲ୍ ଆସିବା ପରେ ହଷ୍ଟେଲର ଛାତ୍ରୀମାନେ ଭୟଭୀତ ହୋଇ ଅଛନ୍ତି । ଅନେକ ଛାତ୍ରୀ ସୁରକ୍ଷାର ଅଭାବ ଦର୍ଶାଇ ଆଜି ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି ।
ସେପଟେ ପୁଲିସ ଏହି ମାମଲାରେ ଅଭିଯୁକ୍ତ ଥିବା ଜଣେ ଛାତ୍ରୀ ଓ ୨ ଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ସେମାନଙ୍କୁ ସୋମବାର ମୋହାଲି କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ଉପରୋକ୍ତ ୩ ଜଣଙ୍କୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଅନ୍ୟପଟେ ବିଶ୍ୱବିଦ୍ୟାଳୟ ପ୍ରଶାସନ ରାତାରାତି ସମସ୍ତ ୱାର୍ଡେନଙ୍କୁ ବଦଳାଇ ଦେଇଛନ୍ତି । ୨ ଜଣ ୱାର୍ଡେନଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । ୟୁନିଭରସିଟିକୁ ସେପ୍ଟେମ୍ବର ୨୪ ତାରିଖ ଯାଏ ବନ୍ଦ ରହିବାକୁ ଘୋଷଣା ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳାକୁ ବଜାୟ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।