ଚଣ୍ଡୀଗଡ଼ ବିମାନବନ୍ଦର ଭଗତ ସିଂହଙ୍କ ନାମରେ ନାମିତ ହେବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୩ତମ ସଂସ୍କରଣରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚଣ୍ଡୀଗଡ଼ ବିମାନବନ୍ଦର ସହିଦ ଭଗତ ସିଂହଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ସେପ୍ଟେମ୍ବର ୨୫ ହେଉଛି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିବସ। ସେ ଜଣେ ମହାନ ମାନବବାଦୀ, ଚିନ୍ତାନାୟକ ଓ ଭାରତମାତାର ସୁଯୋଗ୍ୟ ସନ୍ତାନ। ଭାରତୀୟ ଦର୍ଶନ ଆଧୁନିକ, ସାମାଜିକ ଓ ରାଜନୈତିକ ପ୍ରେକ୍ଷାପଟରେ ବି କିପରି ସାରା ବିଶ୍ବକୁ ପରିଚାଳିତ କରିପାରିବ ତାହା ସେ ଶିଖାଇଥିଲେ। ସେ ଆମର ହୀନମନ୍ୟତାକୁ ଦୂର କରି ବୌଦ୍ଧିକ ଚେତନାକୁ ଜାଗ୍ରତ କରାଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସହିଦ ଭଗତ ସିଂହଙ୍କ ଜନ୍ମବାର୍ଷିକୀର ଅବ୍ୟବହିତ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଣ୍ଡୀଗଡ଼ ବିମାନବନ୍ଦରକୁ ତାଙ୍କରି ନାମରେ ନାମିତ କରାଯିବ।