ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି । ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ । ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ।