ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍
ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍ । ଏଥର କଂଗ୍ରେସ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଥିଲା । କିନ୍ତୁ ସେପରି କିଛି ଘଟିନାହିଁ । ରାଜସ୍ଥାନରେ ୧୯୯୩ରୁ ଚାଲିଥିବା ପରମ୍ପରା ବଜାୟ ରହିଲା। ଏଥର ବି ବଦଳିଲା ସରକାର। ରାଜସ୍ଥାନରେ ୧୯୯ଟି ଆସନରୁ ବିଜେପି ୧୧୫ଟିରେ ବିଜୟୀ ହୋଇଛି। ଏଠାରେ ସରକାର ଗଠନ ପାଇଁ ୧୦୦ଟି ଆସନ ଆବଶ୍ୟକ। ଗତ ଥର ୯୯ଟି ଆସ ଜିତିଥିବା କଂଗ୍ରେସ ଏଥର ୬୯ଟି ଆସନ ଜିତିଛି । ରାଜସ୍ଥାନରେ ଅନ୍ୟାନ୍ୟ ଦଳ ମିଶି ୧୫ଟି ଆସନରେ ବିଜୟୀ ହୋଇଛନ୍ତି। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ରାଜସ୍ଥାନରେ ବିଜେପି ସରକାର ଥିଲା। ଭୈରନ ସିଂହ ଶେଖାୱତ ଥିଲେ ମୁଖ୍ୟମନ୍ତ୍ରୀ। ୧୯୯୮ରେ ଜିତିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ୨୦୦୩ରେ କଂଗ୍ରେସ ହାରିଲା ଓ ଶାସନକୁ ବିଜେପି ଆସିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ବସୁନ୍ଧରା ରାଜେ। ୨୦୦୮ ନିର୍ବାଚନରେ ବିଜେପି ହାରିଗଲା। କଂଗ୍ରେସର ବିଜୟ ହେଲା ଓ ଅଶୋକ ଗେହଲଟ ପୁଣି ମୁଖ୍ୟମନ୍ତ୍ରୀ ହେଲେ। ୨୦୧୩ରେ କଂଗ୍ରେସ ହାରିଗଲା। ବିଜେପି ନିର୍ବାଚନ ଜିତିବା ପରେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ରେ ବିଜେପି ହାରିଲା ଓ କଂଗ୍ରେସ ଜିତିଲା। ଦଳ ଜିତିବା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ଆଉ ଏଥର ସେହି ଧାରା ଅବ୍ୟାହତ ରହିଲା। କଂଗ୍ରେସକୁ ଲୋକେ ଗାଦିଚ୍ୟୁତ କରିଛନ୍ତି। ବିଜେପିକୁ ବାଛିଛନ୍ତି ଭୋଟର।