ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି

କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି।ଆୟୋଜକ ଦେଶ କତାର ଓ ଫିଫା ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ବିବାଦୀୟ ଇସଲାମ ଧର୍ମର ପ୍ରଚାରକ ଜାକିର ନାଏକଙ୍କୁ ନିମନ୍ତ୍ରଣ କରିଥିବାରୁ ବିଜେପିର ଜଣେ ନେତା ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ସେ ଭାରତ ସରକାର, ଇଣ୍ଡିଆନ ଫୁଟବଲ ଆସୋସିଏସନ ଓ କତାର ଯାଉଥିବା ଭାରତୀୟଙ୍କୁ ଫିଫା ବିଶ୍ୱକପକୁ ବୟକଟ କରିବା ପାଇଁ ଅନୁରୋଧ କରିଛନ୍ତି।

କତାରରେ ଫିଫା ଫୁଟବଲ ବିଶ୍ୱକପ ଚାଲିଥିବା ବେଳେ ଜାକିର ନାଏକଙ୍କୁ ଇସଲାମ ଧର୍ମର ପ୍ରଚାର ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତ ତାଙ୍କୁ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ପଳାତକ ଘୋଷଣା କରିଛି। ତଥାପି କତାର ଗୋଟିଏ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ଜାକିରଙ୍କୁ ଡାକିଥିବାରୁ ଏହା ଗୋଆ ବିଜେପିର ମୁଖପାତ୍ର ସାଭିଓ ରୋଡ୍ରିଗସ୍‌ ବିରୋଧ କରିଛନ୍ତି।ଗୋଟିଏ ବିବୃତିରେ ସାଭିଓ କହିଛନ୍ତି, ଯେତେବେଳେ ପୂରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ୁଛି ସେତେବେଳେ ଜାକିର ଭଳି ଲୋକଙ୍କୁ ପ୍ଲାଟଫର୍ମ ଯୋଗାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ଏପରି କରି ଜଣେ ଟେରର ସିମ୍ପାଥାଇଜରକୁ ଘୃଣାର ପ୍ରଚାର ପାଇଁ ଅନୁମତି ଦେବା ସହ ସମାନ।