ମମତା ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି
ଆଜିଠାରୁ ପଶ୍ଚିମବଙ୍ଗରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମମତା ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ନବାନ୍ନ ଅଭିଯାନ କରିଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଯାହା ପରେ ସ୍ଥିତି ଅତି ଭୟଙ୍କର ରୂପ ନେଇଥିଲେ ।
ଉଭୟ ପୋଲିସ୍ ଓ ବିଜେପି ମଧ୍ୟରେ ଗଣ୍ଡଗୋଳ ହେବା ସହ ଉପୁଜିଥିଲା ବ୍ୟାପକ ହିଂସା । ପୋଲିସ, ବିଜେପି କର୍ମୀଙ୍କ ଉପରକୁ ପାଣି ସ୍ପ୍ରେ, ଲୁହବୁହା ଗ୍ୟାସର ପ୍ରୟୋଗ ସହ ଲାଠିମାଡ଼ କରିଥିଲା । ବିଜେପିର ଏହି ଅଭିଯାନରେ ସାମିଲ ହୋଇଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ସମେତ ବିଜେପି ସାଂସଦ ଲକେଟ ଚାଟାର୍ଜୀ, ଦଳୀୟ ନେତା ରାହୁଲ ସିହ୍ନାଙ୍କୁ ମଧ୍ୟ ହେପାଜତକୁ ନେଇଥିଲା ।
ଆନ୍ଦୋଳନକାରୀ ମଧ୍ୟ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ହାଓଡ଼ା, କୋଲକାତାର ଲାଲବଜାର, ଏମଜି ରୋଡ୍ ଆଦି ଅଞ୍ଚଳରେ ପୋଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପୋଲିସ ଆକ୍ରମଣରେ ପୂର୍ବତନ ସାଂସଦ ସପନ ଦାସଗୁପ୍ତା ଆହତ ହୋଇଛନ୍ତି । ସେପଟେ ଶୁଭେନ୍ଦୁ ଅଧିକାରୀ ସମେତ ଲକେଟ ଚାଟାର୍ଜୀ ଓ ରାହୁଲ ସିହ୍ନାଙ୍କୁ ଗିରଫ ପରେ ଛାଡ଼ି ଦେଇଛି ପୋଲିସ ।