ନୂଆଦିଲ୍ଲୀ: ଆଜି ଜାନୁଆରୀ ୧୫ରେ ଦେଶ ‘ସେନା ଦିବସ’ ପାଳନ କରୁଛି । ୧୯୪୯ରେ ପ୍ରଥମ ଥର ‘ଆର୍ମି ଡେ’ ଦିଲ୍ଲୀରେ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେନା ଦିବସରେ ମୁଁ ସମସ୍ତ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ପ୍ରତ୍ୟେକ ଭାରତୀୟ ଆମ ଯବାନଙ୍କ ପାଇଁ ଗର୍ବିତ ଏବଂ ଆମର ଯବାନମାନଙ୍କ ପାଇଁ ସର୍ବଦା କୃତଜ୍ଞ ରହିବେ । ସେମାନେ ସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି । ସଙ୍କଟ ସମୟରେ ତାଙ୍କର ସେବାକୁ ସାରା ଦେଶ ପ୍ରଶଂସା କରିଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, “ସେନା ଦିବସରେ ସମସ୍ତ ଭାରତୀୟ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ। ଦେଶ ସେମାନଙ୍କର ଅଦମ୍ୟ ସାହସ, ବୀରତ୍ୱ, ବଳିଦାନ ଏବଂ ସେବାକୁ ନମନ କରୁଛି । ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନାର ଉଦ୍ୟମକୁ ନେଇ ଆମେ ଗର୍ବିତ’ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।