ୟୁନିଫର୍ମ ସିଭିଲ କୋଡ୍‌ର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି । ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି ଆଇନର ରୂପ ନେଇଛି । ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି । ଉପରାଷ୍ଟ୍ରପତି  ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ । ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ ।

ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତ୍ବକୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଭାରତ ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି ।

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ । ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି । ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ ।”