ଏୟାର୍ ଇଣ୍ଡିଆ ବିମାନ ଉଡ଼ାଇଦେବାକୁ ଧମକ ଦେଲା ଗୁରୁପତୱନ୍ତ ସିଂହ ପନ୍ନୁ
ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଗତବର୍ଷ ଭଳି ପୁଣି ଥରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଛି। ଦିଲ୍ଲୀ ଶିଖ୍ ବିରୋଧୀ ଦଙ୍ଗାର ୪୦ତମ ବାର୍ଷିକୀ ଅବସରରେ ନଭେମ୍ବର ୧ ଠାରୁ ୧୯ ମଧ୍ୟରେ ଏୟାର୍ ଇଣ୍ଡିଆ ବିମାନ ଆକ୍ରମଣର ଲକ୍ଷ୍ୟ ରହିବ ବୋଲି ଚେତାବନୀ ଦେଇଛି।
୨୦୨୩ ନଭେମ୍ବରରେ ଜାରି ଭିଡିଓରେ ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର ନାମ ପରିବର୍ତ୍ତନ କରିବା ଏବଂ ନଭେମ୍ବର ୧୯ ତାରିଖରେ ବନ୍ଦରକୁ ବନ୍ଦ କରିବାକୁ ଧମକ ଦେଇଥିଲା। ଏହି ଦିନରେ ଏୟାର୍ ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ସେ ଚେତାବନୀ ଦେଇଥିଲା। ପରେ ସେହିବର୍ଷ ଡିସେମ୍ବର ମାସରେ ଭିଡ଼ିଓ ଜାରି କରିଥିଲା ଓ ପୂର୍ବରୁ ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଚଳିତ ବର୍ଷ ଜାନୁଆରିରେ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଓ ପୁଲିସ ଡିଜି ଗୌରବ ଯାଦବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।