ଆଫଗାନିସ୍ତାନରେ ହାହାକାର ସ୍ଥିତି

ଆଫଗାନିସ୍ତାନରେ ଜାରି ରହିଛି ହାହାକାର ସ୍ଥିତି। ପରିସ୍ଥିତି ବେଳକୁ ବେଳ ଆହୁରି ସଙ୍ଗିନ ହେବାରେ ଲାଗିଛି। ଲୋକମାନେ ବଞ୍ଚିବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ଚାରିଆଡ଼େ ଖାଦ୍ୟାଭାବ । ତାଲିବାନର କ୍ରୂରତାକୁ ଯେନତେନ ସହିଯାଉଛନ୍ତି । ହେଲେ ପେଟର ଭୋକଜ୍ୱାଳା ବରଦାସ୍ତ ହେଉନି । ଏଭଳି ପରିସ୍ଥିତିରେ ବଞ୍ଚିବା ପାଇଁ କିଛି ଲୋକ ସେମାନଙ୍କ ଝିଅଙ୍କୁ ବିକ୍ରି କରିଦେଉଛନ୍ତି । ଯାହାର ଝିଅ ନାହିଁ, ସେମାନେ ନିଜ କିଡ୍‌ନି ଓ ଅନ୍ୟ ଅଙ୍ଗ ବିକି ଭୋକ ଶାନ୍ତ କରୁଛନ୍ତି ।

ଆଫଗାନିସ୍ତାନକୁ ଆତଙ୍କୀ ସଂଗଠନ ତାଲିବାନ କବ୍‌ଜା କରିନେବା ପରେ ଦେଶକୁ ବିଦେଶୀ ପାଣ୍ଠି ଆସିବା ବନ୍ଦ ହୋଇଯାଇଛି । ଦେଶଗୁଡ଼ିକ ଯେଉଁ ମାତ୍ରାରେ ଖାଦ୍ୟଶସ୍ୟ, ଔଷଧ ଓ ଅନ୍ୟାନ୍ୟ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ, ତାହା ବି ବନ୍ଦ ହୋଇଯାଇଛି । ଏଭଳି ସଂକଟ ମଧ୍ୟରେ ଦେଶକୁ ଦୁର୍ଭିକ୍ଷ ବି ଗ୍ରାସିଛି । ଦୁର୍ଭିକ୍ଷ ଯୋଗୁ ଲକ୍ଷ ଲକ୍ଷ ଲୋକ ଭୋକଉପାସରେ ଆଉଟୁପାଉଟୁ ହେଉଛନ୍ତି ।

ଖାଦ୍ୟାଭାବ ଉତ୍କଟ ସ୍ଥିତିରେ ପହଞ୍ଚିବାରୁ ଅଧିକାଂଶ ଲୋକ ନିଜ ପିଲାଙ୍କ ମୁହଁରେ ଆହାର ଦେଇପାରୁ ନାହାନ୍ତି । ପିଲାମାନେ କାନ୍ଦିବାରୁ ସେମାନଙ୍କୁ ଜବରଦସ୍ତ ଶୁଆଇ ଦିଆଯାଉଛି । ହେରାତ୍‌ରେ ରହୁଥିବା ଅବ୍‌ଦୁଲ୍‌ ୱାହାବ ନାମକ ଜଣେ ବ୍ୟକ୍ତି କୁହନ୍ତି, ଆମ ପିଲାମାନେ ଅଧିକାଂଶ ସମୟରେ ଖାଲିପେଟରେ ରହୁଛନ୍ତି । ଖାଦ୍ୟ ଦେଇ ନ ପାରି ଆମେ ସେମାନଙ୍କୁ ନିଶା ଟାବ୍‌ଲେଟ୍‌ ଦେଉଛୁ । ଫଳରେ ଅନେକ ସମୟ ଧରି ସେମାନେ ଶୋଇଯାଉଛନ୍ତି ।