କୁଲ୍‌ଗାମ୍‌ରେ ଏନ୍‌କାଉଣ୍ଟର: ୫ ଲଶ୍କର୍‌ ଆତଙ୍କବାଦୀ ନିହତ

କୁଲ୍‌ଗାମ୍‌: କୁଲ୍‌ଗାମ୍‌ରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଲଶ୍କର୍‌ ଆତଙ୍କବାଦୀ ନିହତ  । ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ‘ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।  କୁଲ୍‌ଗାମ୍‌ର ନେହାମା ଅନ୍ତର୍ଗତ ସାମ୍‌ନୋ ଅଞ୍ଚଳରେ ‘ଏନ୍‌କାଉଣ୍ଟ୍‌’  ଦ୍ବିତୀୟ ଦିନରେ ଆତଙ୍କବାଦୀ ନିପାତ ହୋଇଛନ୍ତି ।  ଡ୍ରୋନ୍‌ କ୍ୟାମେରାରେ ଠାବ କରାଯିବା ପରେ ଘଟଣାସ୍ଥଳରେ ପଡ଼ିଥିବା ଆତଙ୍କବାଦୀମାନଙ୍କ ଶବ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। କୁଲ୍‌ଗାମ୍‌ ଜିଲ୍ଲାର ଡି. ଏଚ୍‌. ପଡ଼ା ଅଞ୍ଚଳର ସାମ୍‌ନୋ ପକେଟ୍‌ରେ  ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।  ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳ କର୍ମଚାରୀମାନଙ୍କ ଉପରକୁ ଗୁଳି ଚଳାଇବାରୁ ଏହି ତଲାସ ଅଭିଯାନ ଗୁଳି ବିନିମୟରେ ପରିଣତ ହେଲା। ସମ୍ପୃକ୍ତ ଅଞ୍ଚଳ ଚାରିପଟେ ନିରାପତ୍ତା ବଳ କର୍ଡନ ବ୍ୟବସ୍ଥା କଠୋର କରିବାରୁ ଆତଙ୍କବାଦୀମ‌ାନେ ଫସି ଯାଇଥିଲେ।