ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳିଲେ ୩ ମାଓବାଦୀ
ଛତିଶଗଡ଼ ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ରେ ସଫଳତା ମିଳିଛି । ଏନକାଉଣ୍ଟରରେ ଆଜି ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ସୁଧୀର ଥିବା ଜଣାପଡ଼ିଛି । ସୁଧୀର ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଏନକାଉଣ୍ଟର ସ୍ଥଳର ଇନସାସ୍ ରାଇଫଲ୍, ୩୦୩ ରାଇଫଲ୍, ୧୨ ବୋର ବନ୍ଧୁକ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଏନ୍କାଉଣ୍ଟର ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଲୀର ସୀମାରେ ଥିବା ଗିଦମ ଥାନା ଅଞ୍ଚଳର ଗିରସାପାରା, ନେଲଗୋଡ଼ା, ବୋଡଗା ଓ ଇକେଲି ଅଞ୍ଚଳରେ ଚାଲିଛି । ଉକ୍ତ ଅଞ୍ଚଳରେ ଏକାଧିକ ମାଓବାଦୀ ଥିବା ସୂଚନା ମିଳିବା ପରେ ଡିଆରଜି ଓ ବସ୍ତର ଫାଇଟର୍ସ ଟିମ୍ ନକ୍ସଲ ବିରୋଧୀ ଅପରେସନ୍ରେ ବାହାରି ଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ନକ୍ସଲ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ନକ୍ସଲ ନିହତ ହୋଇଛନ୍ତି । ଜଣଙ୍କ ପରିଚୟ ସୁଧୀର ବୋଲି ଜଣା ପଡ଼ିଛି । ସୁରକ୍ଷାକର୍ମୀ ୩ ନିହତ ନକ୍ସଲଙ୍କ ମୃତଦେହ ଜବତ କରିଛନ୍ତି ।
ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ କହିଛନ୍ତି, ଲୋକଙ୍କ ସୁରକ୍ଷା ଲାଗି ଉକ୍ତ ଅଞ୍ଚଳରେ ଡିଆରଜି, ଏସଟିଏଫ୍, ବସ୍ତର ଫାଇଟର୍ସ, କୋବ୍ରା, ସିଆରପିଏଫ୍, ବିଏସ୍ଏଫ୍, ଆଇଟିବିପି ଓ ସିଏଏଫ୍ର ସଂଯୁକ୍ତ ଟିମ୍ ମୁତୟନ ଅଛନ୍ତି । ବିଗତ ୮୩ ଦିନରେ ୧୦୦ରୁ ଅଧିକ ହାର୍ଡକୋର ମାଓବାଦୀ ନିହତ ହୋଇଥିବା କହିଛନ୍ତି ବସ୍ତର ଆଇଜି ।