ସ୍ୱାସ୍ଥ୍ୟ, କୃଷି ଓ ସହର ସମସ୍ୟାର ସମାଧାନ କରିବ ଏଆଇ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନିଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ। କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ ଏବଂ ଆଇଆଇଟି କାନପୁର ସ୍ଥାୟୀ ସହର(ସଷ୍ଟେନେବଲ ସିଟି) କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ ପରିଚାଳିତ କରିବ। ବିଶ୍ୱ ଏଆଇ ଦୃଶ୍ୟପଟ୍ଟରେ ଭାରତର ପରିଚୟକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ବିଶ୍ୱର ସାର୍ବଜନୀନ ନୀତିର ଏକ ପ୍ରମୁଖ ଉପାଦାନ ହେବ ଏବଂ ବିଶ୍ୱର ସମାଧାନ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହେବ।